by admin October 17, 2020 ଆଜିର ଅନୁଚିନ୍ତା ଆଜିର ଦିନଟି ( ଫେବୃଆରୀ ୧୦ ) ‘ଦିଗବଳୟ’ ପାଇଁ ଅତ୍ୟନ୍ତ ମହାନ ।କାରଣ , ଆଜି ଦିନଟି ‘ଦିଗବଳୟ’ର ପ୍ରମୁଖ ପ୍ରେରଣା ଦାତ୍ରୀ ଦିବଂଗତା ଜୟଶ୍ରୀ ମହାନ୍ତିଙ୍କ ଜନ୍ମ ଦିଵସ ।ତାଙ୍କ ସ୍ନେହ, ଶ୍ରଦ୍ଧା ଓ ଆର୍ଶୀବାଦର ଛାୟା ତଳେ ‘ଦିଗବଳୟ’ ନିଜ ଯାତ୍ରା ପଥରେ ଆଜି ପର୍ଯ୍ୟନ୍ତ ଚାଲି ଆସିଛି ପାଠକ , ଲେଖକ ଓ ଶୁଭେଚ୍ଛୁମାନଙ୍କ ଭଲପାଇବାକୁ ପାଥେୟ କରି । ତାଙ୍କ ଅବର୍ତ୍ତମାନରେ ମଧ୍ୟ ‘ଦିଗବଳୟ’ କେବେହେଲେ ତାଙ୍କ ଆଶୀର୍ବାଦର ବର୍ଷାରୁ ବଂଚିତ ହୋଇନାହିଁ । ଆଜି ନିଜ ସଫଳତାର ପାଣ୍ଡୁଲିପିରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେଲାବେଳେ ‘ଦିଗବଳୟ’ ତା’ର ପ୍ରମୁଖ ପ୍ରେରଣାଦାତ୍ରୀଙ୍କ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଏଇ ଅବସରରେ ଦିଗବଳୟ ପରିବାରର ଅନ୍ୟ ତିନିଜଣ ଦିବଂଗତ ଅନ୍ତରଙ୍ଗ ଶୁଭେଚ୍ଛୁ ଡାଃ କବି ପ୍ରସାଦ ମିଶ୍ର , ଉତ୍ତମ କୁମାର ପ୍ରଧାନ ଓ ଅଶୋକ କୁମାର ସିଂହଙ୍କ ସ୍ମୃତି ପ୍ରତି ମଧ୍ୟ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ‘ଦିଗବଳୟ’ର ଯାତ୍ରା ପଥରେ ଏକ ନୂତନ ସକାଳର ଅରୁଣିମା ସୃଷ୍ଟି କରୁଥିବା ଏଇ ଦିନଟି ଆଉ ଏକ ବିଶେଷ କାରଣରୁ ଯଥେଷ୍ଟ ମହତ୍ୱ ରଖେ । ‘ଦିଗବଳୟ’କୁ ଅଧିକରୁ ଅଧିକ ପାଠକମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଡିଜିଟାଲ ମାଧ୍ୟମର ସାହାଯ୍ୟ ନେବା ଆଜି ଏକ ଆଵଶ୍ୟକତା ରୂପେ ଅନୁଭୂତ ହୋଇଛି ଓ ସେଥିପାଇଁ ଏକ ଓଏବ ସାଇଟ୍ ଜରିଆରେ ଏହା ସମ୍ଭବ ହୋଇପାରିବ ବୋଲି ଅନେକ ଦିନରୁ ଚିନ୍ତା କରାଯାଉଥିଲା । ମାତ୍ର ବୈଷୟିକ ପାରଦର୍ଶିତାର ଅଭାବ ଓ ଅନ୍ୟାନ୍ୟ କାରଣରୁ ତାହା ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରିନଥିଲା । କରୋନା ସଙ୍କଟ ଜନିତ କାରଣରୁ ପତ୍ରିକା ମୁଦ୍ରଣ କରାଇବାର ଅନିଶ୍ଚିତତା ଏଇ ଚିନ୍ତାକୁ ପ୍ରୟାସରେ ପରିବର୍ତ୍ତିତ କରିବାରେ ସହାୟକ ହେଲା । ପରିଶେଷରେ ବାଙ୍ଗାଲୋରରେ ରହୁଥିବା ମୋ’ର ପିଲାମାନଙ୍କର ପ୍ରେରଣା ଓ ଏଇ କେଇ ମାସର ନିରନ୍ତର ପ୍ରଚେଷ୍ଟା ଫଳରେ ଆଜି ‘ଦିଗବଳୟ’ର ନିଜସ୍ଵ ଓଏଵ ସାଇଟ ଟିଏ ଲୋକଲୋଚନକୁ ଆସି ପାରିଛି । ଏଇ ଓଏବ ସାଇଟ୍ ମାଧ୍ୟମରେ ପୃଥିବୀର ଯେକୋୖଣସି ପ୍ରାନ୍ତରେ ଥିବା ପାଠକଟିଏ ‘ଦିଗବଳୟ’ର ସମସ୍ତ ପୁରାତନ ସଂଖ୍ୟାରେ ପରିବେଷିତ ହୋଇଥିବା ସାହିତ୍ୟ କୃତିସମୂହକୁ ଅନାୟାସରେ ପଢିପାରିବାର ସୁଯୋଗ ପାଇପାରିବେ । ନୂତନ ସଂଖ୍ୟାଗୁଡିକର ଡିଜିଟାଲ କପି ମଧ୍ୟ ଏଇ ଓଏବ୍ ସାଇଟ୍ ମାଧ୍ୟମରେ ପାଠକମାନେ କ୍ରୟ କରିପାରିବାର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସମୟରେ ‘ଦିଗବଳୟ’ ତରଫରୁ ସମ୍ମାନୀତ କରାଯାଇଥିବା ସାରସ୍ଵତ ପ୍ରତିଭାଙ୍କର ଛବି ଚିତ୍ରାଙ୍ଗନ(Gallery)ରେ ସଂରକ୍ଷିତ କରାଯାଇଛି। ନିକଟ ଭବିଷ୍ୟତରେ ଏହି ଓଏବ ସାଇଟ୍ ମାଧ୍ୟମରେ ଏକ ନିୟମିତ ସାହିତ୍ୟ ପତ୍ର ପ୍ରକାଶ କରିବାର ପରିକଳ୍ପନା କରାଯାଇଛି , ଯେଉଁଥିରେ ବିଶେଷ ଭାବରେ ନୂତନ ତଥା ସମ୍ଭାବନାସିକ୍ତ ସ୍ରଷ୍ଟା ମାନଙ୍କର ସୃଷ୍ଟିସମୂହକୁ ସ୍ଥାନିତ କରାଯିବ । ଖୁବ୍ ଶୀଘ୍ର ଏ ସମ୍ପର୍କରେ ଆବଶ୍ୟକୀୟ ବିବରଣୀ ପ୍ରକାଶ କରାଯିବ । ଆଜି ମୋ ପାଇଁ ମଧ୍ୟ ଏକ ଅତି ଆନନ୍ଦର ଦିନ । କାରଣ , ଦିଗବଳୟ ପାଇଁ ଏକ ବ୍ୟାପକ ପାଠକ ଗୋଷ୍ଠୀ ସୃଷ୍ଟି କରିବାର ମୋର ସ୍ଵପ୍ନ ଆଜି ସଫଳ ହେବାକୁ ଯାଉଛି । କେବଳ ସେତିକି ନୁହେଁ , ପରିକଳ୍ପିତ ନିୟମିତ ସାହିତ୍ୟ ପତ୍ର ମାଧ୍ୟମରେ ଅଧିକ ସମୟ ସାହିତ୍ୟ ସେବା ଓ ସମ୍ପାଦନା କରିବାର ମହାର୍ଘ ସୁଯୋଗ ମୋତେ ମିଳି ପାରିବ ।ମୋ’ ପାଇଁ ଏ ଆନନ୍ଦ ଓ ଗୌରବ ଆଣି ଦେବାରେ ପୁଅ ସୈକତ, ବୋହୂ ଦୀକ୍ଷାଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ଝିଅ ସାଗରିକା ଓ ଜ୍ବାଇଁ ସୀମାନ୍ତଙ୍କ ପ୍ରେରଣା ଭୁଲିଵାର ନୁହେଁ । ଯେଉଁ ଦୁଇଜଣ ସଫ୍ଟ୍ ଓୟାର ଇଂଜିନିୟର ଏହି ଓଏବ ସାଇଟର ସ୍ଥାପତ୍ୟର ପରିକଳ୍ପନା ଓ ଜୀବନ୍ୟାସ ଦେବାରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ , ସେମାନେ ହେଲେ ଦୀପ୍ତି ଓ ଆଦିତ୍ୟ । ଏଇ ଅବସରରେ , ‘ଦିଗବଳୟ ପରିବାର’ ତରଫରୁ ସମସ୍ତଙ୍କୁ ହୃଦୟର ଗଭୀର କୃତଜ୍ଞତା ଜ୍ଞାପନ କରୁଛି ଓ ଆଶା କରୁଛି ଯେ ସେମାନଙ୍କର ଏହି ପ୍ରଚେଷ୍ଟା ସଫଳ ହେଉ ଏବଂ ‘ଦିଗବଳୟ’ ଅଧିକ ରୁ ଅଧିକ ପାଠକମାନଙ୍କ ନିକଟରେ ପହଞ୍ଚିବାରେ ସମର୍ଥ ହେଉ । ଜୟ ଜଗନ୍ନାଥ ।ଅଜୟ କେତନ ମହାନ୍ତିସଂପାଦକ ୧୦-୦୨-୨୦୨୧